Home ଓଡ଼ିଆ ପବନରେ ଉଡ଼ାଇ ଗ୍ରାହକଙ୍କୁ ଯୋଗାଉଛନ୍ତି ଫ୍ଲାୟିଙ୍ଗ ଦୋସା

ପବନରେ ଉଡ଼ାଇ ଗ୍ରାହକଙ୍କୁ ଯୋଗାଉଛନ୍ତି ଫ୍ଲାୟିଙ୍ଗ ଦୋସା

ମୁମ୍ବାଇ୧୯/୦୨: ଖାଦ୍ୟ ବ୍ୟବସାୟର ସଫଳତା ଏହାର ସ୍ୱାଦ ଉପରେ ନିର୍ଭର କରେ, ଯାହା ଏହି ବ୍ୟବସାୟର ଗୁରୁତ୍ୱପୂର୍ଣ୍ଣ ଅଂଶ । ଏବେ କିନ୍ତୁ ସ୍ୱାଦ ଅପେକ୍ଷା ପରଷିବା ଶୈଳୀ ଖାଦ୍ୟକୁ ଲୋକପ୍ରିୟ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି । ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେଉଛି, ଯାହା ମୁମ୍ବାଇ ସ୍ଥିତ ଏକ ହୋଟେଲର ‘ମସଲା ଦୋସା’ ପରଷିବାର ନିଆରା ଶୈଳୀ ପ୍ରଦର୍ଶନ କରିଛି ।

ଦୋସାକୁ ପବନରେ ଉଡ଼ାଇ ଗ୍ରାହକଙ୍କ ନିକଟରେ ପହଞ୍ଚାଇବା ପାଇଁ ସହରର କାଲ୍‌ବାଦେବୀ ଅଞ୍ଚଳ ସ୍ଥିତ ଶ୍ରୀ ବାଲାଜୀ ଦୋସା ଖୁବ୍‌ ଲୋକପ୍ରିୟତା ପାଇଛି ।

ଏହି ଭୋଜନାଳୟରେ ଦୁଇଜଣ ବ୍ୟକ୍ତି ଅଛନ୍ତି । ଜଣେ ଦୋସା ପ୍ରସ୍ତୁତ କରନ୍ତି । ଅନ୍ୟ ଜଣେ ତାଙ୍କଠାରୁ କିଛି ଦୂରରେ ଠିଆ ହୋଇ ଉଡ଼ନ୍ତା ଦୋସାକୁ ବଲ୍‌ ଭଳି ପ୍ଲେଟ୍‌ ସାହାଯ୍ୟରେ ଧରନ୍ତି । ଭାଇରାଲ୍‌ ହେଉଥିବା ଭିଡିଓରେ ରୋଷେୟା ଜଣକ ବେଶ ଧ୍ୟାନର ସହ ଆଳୁ ପୁର, ପୋଦିନା ଚଟଣି ଓ ଅନ୍ୟ ସାମଗ୍ରୀ ଦେଇ ଦୋସା ପ୍ରସ୍ତୁତ କରୁଛନ୍ତି । ଏହାକୁ ୨-୩ ଖଣ୍ଡରେ ବିଭକ୍ତ କରି ଗୋଟିଏ ଉପରେ ଅନ୍ୟକୁ ରଖି ଏକସଙ୍ଗେ ଧରି ନିଜ ସହଯୋଗୀଙ୍କ ପାଖକୁ ଫିଙ୍ଗିଦେଉଛନ୍ତି ।

ସହଯୋଗୀ ଜଣକ ବେଶ ଆରାମରେ ଦୋସାକୁ ପ୍ଲେଟ୍‌ ସାହାଯ୍ୟରେ ଧରୁଛନ୍ତି । ତା’ପରେ ଦୋସା ଗ୍ରାହକଙ୍କ ପାଖରେ ପହଞ୍ଚୁଛି । ଭିଡିଓଟି ଏବେ ସବୁ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ଟ୍ରେଣ୍ଡରେ ଅଛି । ଏବେ ସୁଦ୍ଧା ଏହାକୁ ୮ କୋଟି ୟୁଜର୍‌ ଦେଖିସାରିଲେଣି । ଭିଡିଓକୁ ୧୫ ଲକ୍ଷ ଲାଇକ୍‌ ମଧ୍ୟ ମିଳିଛି ।

AD