Home ଓଡ଼ିଆ ଜଙ୍ଗଲୀ ହୀରା ସିଆଳିପତ୍ର ଦେଖାଇଲା ବଞ୍ଚିବାର ରାସ୍ତା

ଜଙ୍ଗଲୀ ହୀରା ସିଆଳିପତ୍ର ଦେଖାଇଲା ବଞ୍ଚିବାର ରାସ୍ତା

ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଗାଁ। ଯେଉଁଠି ବିକାଶ ଅପହଞ୍ଚ। ସେଠି ରୋଜଗାରର ରାସ୍ତା ଦେଖାଇଛି ଜଙ୍ଗଲୀ ହୀରା ସିଆଳିପତ୍ର। ମହିଳାମାନେ ସିଆଳିପତ୍ର ସିଲେଇ କରି ଗୁଣ୍ଡୁଚି ମୂଷାଟିଏ ପରି ପରିବାରକୁ ସହଯୋଗ କରୁଛନ୍ତି। ଏପରି ଚିତ୍ର ଗଜପତି ଜିଲ୍ଲାରୁ ଆସିଛି।

ଆର.ଉଦୟଗିରି ବ୍ଲକ୍‌ ଦୁର୍ଗମ ଶିଆଳିଲଟି ପଞ୍ଚାୟତର ରାଇବାଡ଼, ଧାନବାଡ ଓ କୋରଡାବାଡ ଗାଁ। ଏହି ଗାଁରେ ବାସ କରନ୍ତି ୫୮ରୁ ଅଧିକ ଆଦିବାସୀ ପରିବାର। ଉପାର୍ଜନର କିଛି ପନ୍ଥା ନଥିବାରୁ ଆଦିବାସୀମାନେ ପାହାଡ଼ ଜଙ୍ଗଲ ନିର୍ଭର କରିଥାଆନ୍ତି। ଏହାଛଡ଼ା ସରକାରୀ ସହାୟତା କହିଲେ, ରାସନ କାର୍ଡରେ ମୁଣ୍ଡ ପିଛା ୫ କେଜି ଚାଉଳ ମିଳେ। ଏହା ବ୍ୟତୀତ ଅନ୍ୟ କିଛି ରୋଜଗାର ନାହିଁ। ଯେଉଁଥିପାଇଁ ପରିବାର ଚଳାଇବା ସେମାନଙ୍କ ପାଇଁ କଷ୍ଟକର ହେଉଥିଲା।

ତେବେ ଆର୍ଥିକ ଦୋରାବସ୍ତ ଦୂର ପାଇଁ ଗାଁର କେତେକ ମହିଳା ମିଶି ଗଢ଼ିଲେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ। ପରେ ସେମାନଙ୍କୁ ଜିଲ୍ଲା ଅନୁସୂଚିତ ଜନଜାତି ସଶକ୍ତିକରଣ ଓ ଜବିକା  ନିର୍ବାହ କାର୍ଯ୍ୟକ୍ରମ ମାଧ୍ୟମରେ ପତର ସିଲେଇ ମେସିନ୍‌ ଯୋଗାଇ ଦିଆଯାଇଥିଲା। ତା’ପରେ ଜଙ୍ଗଲରୁ ସିଆଳିପତ୍ର ସଂଗ୍ରହ କରି ମେସିନ ସିଲେଇ ଆରମ୍ଭ କଲେ। ଏବେ ପ୍ରତିଦିନ ୧୦୦ରୁ ୨୦୦ ଖଲିପତ୍ର ସିଲେଇ କରାଯାଉଛି। ଏଥିରୁ ଦିନକୁ ୨୦୦ ଟଙ୍କା ରୋଜଗାର କରିପାରୁଛନ୍ତି ମହିଳା। ସରକାର ଯଦି ପତର ପ୍ରେସିଂ ମେସିନ ଯୋଗାଇ ଦିଅନ୍ତେ, ତାହାହେଲେ ଖଲି ପ୍ଲେଟ୍‌, ଗିନା ଆଦି ତିଆରି କରାଯାଇପାରନ୍ତା ବୋଲି ମହିଳାମାନେ କହିଛନ୍ତି। ମହିଳାମାନେ ତିଆରି କରୁଥିବା ସାମଗ୍ରୀକୁ ଗଜପତି, ବ୍ରହ୍ମପୁର ଓ ଅନ୍ୟାନ୍ୟ ସହରକୁ ପଠାଉଛନ୍ତି।

ରାଇବାଡ ଗାଁ ସମେତ କରୋଡାବାଡ ଓ ଧାନ ବାଡ଼ ଗାଁରେ ୨ଟି ସ୍ୱୟଂ ସହାୟିକା ମହିଳା ସଂଘରେ ୪୦ ଜଣ ମହିଳା ଖଲି ସିଲେଇ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ଆଗକୁ ଏମାନଙ୍କୁ ଅଧିକ ପ୍ରତ୍ସାହନ ଯୋଗାଇ ଦେଲେ, ଅଧିକରୁ ଅଧିକ ରୋଗାର ହୋଇପାରିବେ ବୋଲି ଆଶା କରାଯାଉଛି।

AD