Home ଓଡ଼ିଆ ଜମ୍ମୁ-କଶ୍ମୀରକୁ ପୁଣିଥରେ ରାଜ୍ୟ ମାନ୍ୟତା ମିଳିବ

ଜମ୍ମୁ-କଶ୍ମୀରକୁ ପୁଣିଥରେ ରାଜ୍ୟ ମାନ୍ୟତା ମିଳିବ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରକୁ ପୁଣିଥରେ ରାଜ୍ୟ ମାନ୍ୟତା ମିଳିବ। ହେଲେ ଠିକଣା ସମୟକୁ ଅପେକ୍ଷା କରିବାକୁ ପଡ଼ିବ। ଉପଯୁକ୍ତ ସମୟରେ ଭାରତ ସରକାର ଜମ୍ମୁ-କଶ୍ମୀରକୁ କେନ୍ଦ୍ର ଶାସିତ ଅଞ୍ଚଳ ତାଲିକାରୁ ବାଦ୍‌ ଦେଇ ରାଜ୍ୟ ମାନ୍ୟତା ଦେବେ ବୋଲି ଆଜି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଲୋକସଭାରେ କହିଛନ୍ତି। ଲୋକସଭାରେ ଆଜି ଜମ୍ମୁ-କଶ୍ମୀର ରିଅର୍ଗାନାଇଜେସନ(ସଂଶୋଧିତ) ବିଲ୍‌ ୨୦୨୧ ଉପରେ ଆଲୋଚନା କରିବା ବେଳେ ଶ୍ରୀ ଶାହ ଏକଥା କହିଛନ୍ତି।

୨୦୧୯ ଅଗଷ୍ଟ ୫ରେ ଭାରତ ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଓ ୩୫-ଏ ଉଚ୍ଛେଦ କରିଥିଲେ। ଏଥିସହ ଏହାକୁ ଦୁଇ ଭାଗ କରି ଜମ୍ମୁ-କଶ୍ମୀର ଓ ଲଦାଖ ନାଁରେ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ଗଠନ କରିଥିଲେ। ତେବେ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧୀ ଦଳଗୁଡ଼ିକ ଜୋରଦାର ବିରୋଧ କରିଛନ୍ତି।

ଆଜି ଶ୍ରୀ ଶାହ କହିଛନ୍ତି, ଅଧିକାଂଶ ସାଂସଦ କହୁଛନ୍ତି ସଂଶୋଧିତ ବିଲ୍‌ ଅଣା ଯାଇଥିବାରୁ ଜମ୍ମୁ-କଶ୍ମୀର ଆଉ କେବେ ହେଲେ ରାଜ୍ୟ ମାନ୍ୟତା ପାଇବ ନାହିଁ। ମୁଁ ଏହି ବିଲ୍‌କୁ ପାଇଲଟିଂ କରିଛି ଓ ଏହାକୁ ଆଣିଛି। ମୁଁ ଏହା ପଛର ଉଦ୍ଦେଶ୍ୟ ମଧ୍ୟ କହି ସାରିଛି। ସଂଶୋଧିତ ବିଲ୍‌ର କୌଣସି ବି ସ୍ଥାନରେ ଜମ୍ମୁ-କଶ୍ମୀର କେବେ ବି ଆଉ ରାଜ୍ୟ ମାନ୍ୟତା ପାଇବ ନାହିଁ ବୋଲି ଲେଖାଯାଇଛି କି?

ବିରୋଧୀ ସାଂସଦମାନେ କେଉଁଠୁ ଜମ୍ମୁ-କଶ୍ମୀରକୁ ରାଜ୍ୟ ମାନ୍ୟତା ମିଳିବନି ବୋଲି ଜାଣିବାକୁ ପାଇଲେ? ମୁଁ ପୂର୍ବରୁ ଗୃହରେ କହିଥିଲି ଓ ଆଜି ବି ପୁଣିଥରେ କହୁଛି, ଏହି ବିଲ୍‌ ସହ ଜମ୍ମୁ-କଶ୍ମୀରକୁ ରାଜ୍ୟ ମାନ୍ୟତା ମିଳିବାର କୌଣସି ସମ୍ପର୍କ ନାହିଁ। ଜମ୍ମୁ-କଶ୍ମୀରକୁ ଉପଯୁକ୍ତ ସମୟରେ ପୁଣିଥରେ ରାଜ୍ୟ ମାନ୍ୟତା ମିଳିବ ବୋଲି ଶାହ ଦମ୍ଭ ସ୍ୱରରେ କହିଛନ୍ତି।

ଏଥିସହ ଶ୍ରୀ ଶାହ ବିରୋଧୀଙ୍କୁ ତାଚ୍ଛଲ୍ୟ କରିବାକୁ ମଧ୍ୟ ପଛାଇ ନାହାନ୍ତି। ୪ଜି ଇଣ୍ଟରନେଟ ସେବା ସରକାର ଚାପରେ ପଡ଼ି ଲାଗୁ କରିଥିବା ଅଭିଯୋଗ ଉପରେ ଶାହ କହିଛନ୍ତି, “ଅସାଦୁଦ୍ଦିନ ଓୱେସୀଜୀ କହୁଛନ୍ତି ବିଦେଶୀଙ୍କ ଚାପରେ ପଡ଼ି ସରକାର ୨ଜି ଓ ୪ଜି ଇଣ୍ଟରନେଟ ସେବା ଆରମ୍ଭ କରିଛନ୍ତି।

କିନ୍ତୁ ସେ ଜାଣି ନାହାନ୍ତି ଯେ ଏହା ୟୁପିଏ ସରକାର ନୁହେଁ। ୟୁପିଏ ସରକାରଙ୍କୁ ଓୱେସୀ ସମର୍ଥନ କରୁଥିଲେ। ଆଜି ଦେଶରରେ ନରେନ୍ଦ୍ର ମୋଦି ସରକାର ଚାଲିଛି। ଏହି ସରକାର ସର୍ବଦା ଦେଶର ସ୍ୱାର୍ଥକୁ ଗୁରୁତ୍ୱ ଦେଇଥାଏ।

ଆଜି ଗୃହରେ କୁହାଗଲା ଯେ ଧାରା ୩୭୦ ଉଚ୍ଛେଦ ବେଳେ କରାଯାଇଥିବା ପ୍ରତିଶ୍ରୁତିକୁ ପୂରଣ କରାଯାଇ ନାହିଁ। ମୁଁ ଏହାର ଜବାବ ନିଶ୍ଚିତ ଦେବି। ହେଲେ ଏହା ପୂର୍ବରୁ ମୁଁ ପଚାରିବାକୁ ଚାହେଁ ଯେ ଧାରା ୩୭୦ ଉଚ୍ଛେଦକୁ ଏବେ ତ ମାତ୍ର ୧୭ ମାସ ହୋଇଛି। ଆପଣମାନେ ୭୦ ବର୍ଷର ଶାସନ କାଳରେ କ’ଣ କରିଛନ୍ତି? ଆପଣମାନେ ତା’ର ହିସାବ ସାଥୀରେ ଆଣିଛନ୍ତି କି? ଯେଉଁମାନଙ୍କୁ ଦଶନ୍ଧି ଦଶନ୍ଧି ଧରି ଦେଶକୁ ଶାସନ କରିବାକୁ ସୁଯୋଗ ମିଳିଥିଲା, ସେ ସମୟରେ ସେମାନେ କ’ଣ କରିଛନ୍ତି?

ଆପଣମାନେ ଆମକୁ ୧୭ ମାସର ହିସାବ ମାଗିବାକୁ ଯୋଗ୍ୟତା ରଖିଛନ୍ତି ତ? ମୁଁ ଗୃହକୁ କହିବାକୁ ଚାହେଁ ଯେ ସମସ୍ତେ ଜମ୍ମୁ-କଶ୍ମୀରର ସ୍ଥିତିକୁ ଭଲ ଭାବେ ବୁଝନ୍ତୁ। ରାଜନୀତି କରିବା ପାଇଁ ସାଧାରଣ ଲୋକଙ୍କୁ ବିଭ୍ରାନ୍ତ କରିବା ଭଳି ବୟାନ ଦିଆ ନଯାଉ ବୋଲି ଶ୍ରୀ ଶାହ କହିଛନ୍ତି।

AD