Home ଅନ୍ୟାନ୍ୟ ଦୁବାଇ ଶାସକ ଶେଖ ମହମ୍ମଦ ବିନ ରଶିଦ ଅଲ ମାକଟୌମଙ୍କ ଝିଅ ରାଜକୁମାରୀ ଲତିଫା ପ୍ରଥମଥର...

ଦୁବାଇ ଶାସକ ଶେଖ ମହମ୍ମଦ ବିନ ରଶିଦ ଅଲ ମାକଟୌମଙ୍କ ଝିଅ ରାଜକୁମାରୀ ଲତିଫା ପ୍ରଥମଥର ପାଇଁ ତାଙ୍କ ଅପହରଣ ପଛରେ ଭାରତର ଭୂମିକା ସମ୍ପର୍କରେ ଖୁଲାସା କରିଛନ୍ତି।

ଲଣ୍ଡନ: ଦୁବାଇ ଶାସକ ଶେଖ ମହମ୍ମଦ ବିନ ରଶିଦ ଅଲ ମାକଟୌମଙ୍କ ଝିଅ ରାଜକୁମାରୀ ଲତିଫା ପ୍ରଥମଥର ପାଇଁ ତାଙ୍କ ଅପହରଣ ପଛରେ ଭାରତର ଭୂମିକା ସମ୍ପର୍କରେ ଖୁଲାସା କରିଛନ୍ତି। ୩ ବର୍ଷ ତଳେ ଭାରତୀୟ ଉପକୂଳରେ କେମିତି ତାଙ୍କୁ କମାଣ୍ଡୋମାନେ କାବୁ କରିଥିଲେ ସେକଥା ମଧ୍ୟ କହିଛନ୍ତି। ସେ ରାଜନୀତିକ ଆଶ୍ରୟ ନେବାକୁ ଚାହୁଁଥିଲେ ହେଁ ତାଙ୍କୁ ଟ୍ରାଙ୍କୁଲାଇଜ କରି ଗୋଟିଏ ପ୍ରାଇଭେଟ୍‌ ଜେଟ୍‌ରେ ଦୁବାଇ ପଠା ଯାଇଥିବା ସେ ଅଭିଯୋଗ କରିଛନ୍ତି।

ଦୁବାଇ ପଠାଯିବା ପରଠାରୁ ଲତିଫା କେବେ ହେଲେ ମୁହଁ ଖୋଲି ନଥିଲେ। ହେଲେ ଏବେ ପ୍ରଥମଥର ପାଇଁ ୩୫ ବର୍ଷୀୟ ଲତିଫା ଭିଡିଓ ଜାରି କରି ପୂରା ଘଟଣା ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି, ୨୦୧୮ ମସିହା ମାର୍ଚ୍ଚ ୪ ତାରିଖରେ ସେ ଜାହାଜରେ ବସିଥିଲେ। ଏହି ସମୟରେ ୧୦ରୁ ୧୨ ଜଣ ଭାରତୀୟ କମାଣ୍ଡୋ ଓ ୨ ଜଣ ଅମିରାଦ ସର୍ଜେଣ୍ଟ ଜାହାଜରେ ପହଞ୍ଚିଥିଲେ। ସେମାନଙ୍କୁ ମଧ୍ୟରୁ ଜଣେ ତାଙ୍କୁ ଟ୍ରାଙ୍କୁଲାଇଜର ଦେଇ ଅଚେତ କରିଦେଇଥିଲେ ବୋଲି ସେ କହିଛନ୍ତି।

ଭାରତ ସରକାର କେବେ ହେଲେ ରାଜକୁମାରୀ ଲତିଫାଙ୍କ ଘଟଣାରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ତେବେ ସେ ଏଭଳି ସାଂଘାତିକ ଅଭିଯୋଗ ଆଣିବାରୁ ବୁଧବାର ମିଳିତ ଜାତିସଂଘ ଏହି ପ୍ରସଙ୍ଗ ୟୁଏଇ ସହ ଆଲୋଚନା କରିବ ବୋଲି କହିଛି। ଲତିଫାଙ୍କର ଫିନଲ୍ୟାଣ୍ଡ ବନ୍ଧୁ ଟିନା ମଧ୍ୟ ସେହି ସମୟରେ ଜାହାଜରେ ଥିଲେ।

ସେ ବିବିସିକୁ କହିଛନ୍ତି ଯେ ଆମେ ଦୁଇ ଜଣ ଶୋଇଥିବା ବେଳେ ହଠାତ୍‌ ଗୁଳି ଫୁଟିବାର ଶବ୍ଦ ଶୁଣିଥିଲୁ। କିଛି ସମୟରେ ପୂରା ଜାହାଜକୁ ଭାରତୀୟ ସୁରକ୍ଷାକର୍ମୀ ନିଜ କବଜାକୁ ନେଇ ଯାଇଥିଲେ। ଲତିଫା ତଳେ ପଡ଼ିଥିବା ବେଳେ ତାଙ୍କ ହାତକୁ ପଛପଟେ ବାନ୍ଧି ଦିଆଯାଇଥିଲା।

ସେ ରାଜନୀତିକ ଆଶ୍ରୟ ନେବାକୁ ଚାହୁଁଥିବା ବାରମ୍ବାର ଚିତ୍କାର କରୁଥିଲେ ହେଁ କେହି ବି ଏକଥା ଶୁଣି ନଥିଲେ। ଏହାପରେ ଲତିଫାଙ୍କୁ ଭାରତୀୟ ସୁରକ୍ଷାକର୍ମୀଙ୍କ ଜାହାଜକୁ ନିଆଯାଇଥିଲା ବୋଲି ସେ କହିଛନ୍ତି।

ଲତିଫା ଆଜି ଭିଡିଓ ଜାରି କହିଛନ୍ତି, ମୋତେ ଜାହାଜରୁ ଗୋଟିଏ ବଡ଼ ରୁମକୁ ନିଆଯାଇଥିଲା। ସେଠାରେ ୪ରୁ ୫ ଜଣ ଜେନେରାଲ ଥିଲେ। ମୁଁ ସେମାନଙ୍କୁ କହିଥିଲି ଯେ ମୋତେ ରାଜନୀତିକ ଆଶ୍ରୟ ଦରକାର ଓ ମୁଁ ଦୁବାଇ ଯିବାକୁ ଚାହୁଁନାହିଁ। ଏତିକି ବେଳେ ଗୋଟିଏ ଘରୋଇ ବିମାନ ପହଞ୍ଚିଥିଲା।

ମୋତେ ଜଣେ ଅମିରାଦ କମାଣ୍ଡୋ ମୋତେ ଧରି ସେଠାକୁ ନେବାକୁ ଚେଷ୍ଟା କରିଥିଲେ। ହେଲେ ମୁଁ ତାଙ୍କୁ କାମୁଡ଼ି ଦେଇଥିଲି। ସେମାନେ ମୋତେ ଗୋଇଠା ମାରିବା ସହ ପୁଣିଥରେ ଟ୍ରାଙ୍କୁଲାଇଜର କରିଦେଇଥିଲେ। ମୁଁ ଅଚେତ ହେବା ପରେ ମୋତେ ଜେଟ୍‌କୁ ନିଆଯାଇଥିଲା। ମୁଁ ଆଖି ଖୋଲିଲା ବେଳକୁ ବିମାନଟି ଦୁବାଇରେ ଅବତରଣ କରି ସାରିଥିଲା। ମୋତେ କୌଣସି ମେଡିକାଲ ଚିକିତ୍ସା ଯୋଗାଇ ନ ଦିଆଯାଇ, ବନ୍ଦୀ ଭାବେ ରଖାଯାଇଥିଲା।

ବର୍ଷକ ପରେ ଟିନା ମୋତେ ଫୋନ ଦେବାକୁ ସକ୍ଷମ ହୋଇଥିଲେ। ଏହି ଫୋନରେ ସେ ଦୁବାଇର ଗୋଟିଏ ଭିଲ୍ଲାର ଗୋଟିଏ ବାଥରୁମରେ କେମିତି ବନ୍ଦୀ ହୋଇ ରହିଥିଲେ, ତା’ର ରେକର୍ଡିଂ କରିଥିଲେ ବୋଲି ସେ କହିଛନ୍ତି। ତାଙ୍କୁ ସେଠାରେ ପଣବନ୍ଦୀ କରି ରଖାଯିବା ସହ ସବୁବେଳେ ପୁଲିସ୍‌ ଫୋର୍ସ ଜଗି ରହିଥିଲେ।

ଲତିଫା କହିଛନ୍ତି, ମୋ ସାବତ ମା’ ରାଜମାତା ହାୟା କେବେହେଲେ ମିଳିତ ଜାତିସଂଘର ମାନାବାଧିକାର କମିଶନର ମ୍ୟାରି ରବିନସନଙ୍କ ସହ ଏବିଷୟରେ ଦେଖା କରିବାକୁ ସୁଯୋଗ ଦେଇ ନଥିଲେ। ଯଦି ମୁଁ ଖାଇବା ବେଳେ ତାଙ୍କ ସହ ଭଲ ଭାବେ ବ୍ୟବହାର କରିବି ଓ ଖୁସି ଥିବା ଦର୍ଶାଇବି, ତା’ହେଲେ ମୋତେ ପଣବନ୍ଦୀରୁ ମୁକ୍ତ କରାଯିବ ବୋଲି ହାୟା କହିଥିଲେ।

ତାଙ୍କ କଥା ମାନି ଲତିଫା ସର୍ବସମ୍ମୁଖରେ ଖାଦ୍ୟ ଖାଇଥିଲେ। ଏହାର ଫଟୋକୁ ମଧ୍ୟ ୟୁଏଇ ରିଲିଜ କରିଥିଲା। ରବିନଶନ ମଧ୍ୟ ଲତିଫା ଠିକ ଥିବା କଥା କହିଥିଲେ। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ତାଙ୍କୁ ଭ୍ରମିତ କରାଯାଉଥିବା ସେ ଜାଣିବାକୁ ପାଇଥିଲେ। ସେ କଥା ପାନୋରାମକୁ ମଧ୍ୟ ଜଣାଇଥିଲେ। ଲୋକମାନେ ଦୁବାଇ ଭିଲ୍ଲାରୁ ଯିବା ପରେ ଲତିଫାଙ୍କୁ ପୁଣି ବନ୍ଦୀ କରାଯାଇଥିଲା ବୋଲି ସେ କହିଛନ୍ତି।

AD