Home ଅନ୍ୟାନ୍ୟ ଆଇପିଏଲ୍ ନିଲାମ : ୧୬.୨୫ କୋଟିରେ ଦକ୍ଷିଣ ଆଫ୍ରିକାର ଅଲରାଉଣ୍ଡର କ୍ରିସ୍ ମୋରିସଙ୍କୁ କିଣିଲା ରାଜସ୍ଥାନ...

ଆଇପିଏଲ୍ ନିଲାମ : ୧୬.୨୫ କୋଟିରେ ଦକ୍ଷିଣ ଆଫ୍ରିକାର ଅଲରାଉଣ୍ଡର କ୍ରିସ୍ ମୋରିସଙ୍କୁ କିଣିଲା ରାଜସ୍ଥାନ ରୟାଲ୍ସ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ସବୁଠୁ ବଡ଼ ଟୁର୍ଣ୍ଣାମେଣ୍ଟ ପାଇଁ ଆରମ୍ଭ ହୋଇଛି ପ୍ରାଥମିକ ପ୍ରସ୍ତୁତି । ଇଣ୍ଡିଆନ୍ ପ୍ରିମିୟର ଲିଗର ୨୦୨୧ ସଂସ୍କରଣ ପାଇଁ ଖେଳାଳି ନିଲାମୀ ଜାରି ରହିଛି। ଆଇପିଏଲ୍ ୨୦୨୧ ପାଇଁ ଆଜି ଚେନ୍ନାଇରେ ୨୯୧ ଜଣ ଖେଳାଳିଙ୍କ ଲାଗି ନିଲାମୀ ଆରମ୍ଭ କରାଯାଇଛି। ଏଥରେ ୧୬୪ ଜଣ ଭାରତୀୟ ଖେଳାଳି ଥିବା ବେଳେ ୧୨୫ ଜଣ ବିଦେଶୀ ଖେଳାଳି ଅଛନ୍ତି।

ଏହି ନିଲାମୀରେ ଏଯାବତ୍ ଦକ୍ଷିଣ ଆଫ୍ରିକାର ଅଲରାଉଣ୍ଡର କ୍ରିସ୍ ମୋରିସ ଆଇପିଏଲ୍ ନିଲାମୀ ଇତିହାସରେ ସବୁଠାରୁ ମହଙ୍ଗା ଖେଳାଳି ହୋଇପାରିଛନ୍ତି  | ରାଜସ୍ଥାନ ରୟାଲ୍ସ ତାଙ୍କୁ ୧୬.୨୫ କୋଟି ଟଙ୍କାରେ କିଣିଥିବା ଜଣାପଡ଼ିଛି। ମୁମ୍ବାଇ ଇଣ୍ଡିଆନ୍ସ ଏବଂ କିଙ୍ଗସ ଇଲେଭେନ ପଞ୍ଜାବ ମଧ୍ୟ ମୋରିସଙ୍କୁ କିଣିବା ପାଇଁ ପ୍ରତିଯୋଗିତା କରିଥିବା ବେଳେ ଜିତିଛି ରାଜସ୍ଥାନ ରୟାଲ୍ସ। ଏହା ପୂର୍ବରୁ ୨୦୧୫ରେ ଯୁବରାଜ ସିଂ ଆଇପିଏଲ୍ ନିଲାମୀ ଇତିହାସରେ ସବୁଠାରୁ ମହଙ୍ଗା ଖେଳାଳି ଥିଲେ। ଦିଲ୍ଲୀ କ୍ୟାପିଟାଲ୍ସ ତାଙ୍କୁ ୧୬କୋଟି ଟଙ୍କାରେ କିଣିଥିଲା, ଯାହା ଏଯାବତ୍ ସର୍ବକାଳୀନ ରେକର୍ଡ ଥିଲା।

କ୍ରିସ୍ ମୋରିସଙ୍କ ପରେ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ଗ୍ଲେନ୍ ମାକ୍ସୱେଲ ଭଲ ଦରରେ ବିକ୍ରି ହୋଇଛନ୍ତି । ମାକ୍ସୱେଲଙ୍କୁ କିଣିବା ପାଇଁ ଫ୍ରାଞ୍ଚାଇଜମାନଙ୍କ ମଧ୍ୟରେ ପ୍ରତିଯୋଗିତା ଦେଖିବାକୁ ମିଳିଥିଲା। ତାଙ୍କୁ କିଣିବା ପାଇଁ ବିଡ୍ ୧୪କୋଟି ଅତିକ୍ରମ କରିଥିବା ବେଳେ ବାଜି ମାରିଛି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର । ଆରସିବି ମାକ୍ସୱେଲଙ୍କୁ ୧୪.୨୫ କୋଟିରେ କିଣିଛି। ମାକ୍ସୱେଲଙ୍କୁ କିଣିବା ପାଇଁ ଆରସିବି ଏବଂ ଚେନ୍ନାଇ ସୁପର କିଙ୍ଗ୍ସ  (ସିଏସକେ) ଭିତରେ କଡ଼ା ପ୍ରତିଯୋଗିତା ଦେଖିବାକୁ ମିଳିଥିଲା।

ସେହିଭଳି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭ ସ୍ମିଥଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ କିଣିଛି। ଦିଲ୍ଲୀ କ୍ୟାପିଟାଲ୍ସ ୨.୨୦ କୋଟି ଟଙ୍କାରେ ଷ୍ଟିଭ ସ୍ମିଥଙ୍କୁ କିଣିଥିବା ଜଣାପଡ଼ିଛି। ଷ୍ଟିଭ ସ୍ମିଥଙ୍କ ମୂଳ ମୂଲ୍ୟ ଥିଲା ୨କୋଟି ଥିଲା। ଏଥି ସହିତ ଇଂଲଣ୍ଡର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଜେସର ରଏ, ଆଲେକ୍ସ ହାଲ୍ସଙ୍କୁ ଏପର୍ଯ୍ୟନ୍ତ କୌଣସି ଫ୍ରାଞ୍ଚାଇଜିମାନେ କିଣି ନ ଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ବାଂଲାଦେଶର ଷ୍ଟାର କ୍ରିକେଟର ଶାକିବ ଅଲ-ହସନ ଆଇପିଏଏଲ୍ ୨୦୨୧ରେ ପୁଣି ଥରେ କୋଲକାତା ନାଇଟ୍ ରାଇଡର୍ସ ପାଇଁ ଖେଳିବେ। ତାଙ୍କୁ ଫ୍ରାଞ୍ଚାଇଜି ୩କୋଟି ୨୦ଲକ୍ଷ ଟଙ୍କାରେ କିଣିଥିବା ଜଣାପଡ଼ିଛି।

ଚେନ୍ନାଇ ସୁପର କିଙ୍ଗ୍ସ ଇଂଲଣ୍ଡ ଅଲରାଉଣ୍ଡର ମୋଇନ ଅଲିଙ୍କୁ କିଣିଛନ୍ତି। ତାଙ୍କର ବେସ୍ ପ୍ରାଇସ(ପ୍ରାରମ୍ଭିକ ମୂଲ୍ୟ) ୨କୋଟି ଟଙ୍କା ଥବା ବେଳେ ସିଏସକେ ତାଙ୍କୁ ୭କୋଟିରେ କିଣିଛି।

ତେବେ ଆଇପିଏଲର ଆଗାମୀ ସଂସ୍କରଣର ଖେଳାଳି ନିଲାମ ପୂର୍ବରୁ ନିଲାମୀ ପ୍ରକ୍ରିୟାରୁ ଓହରିଯାଇଛନ୍ତି ଇଂଲଣ୍ଡର ପେସ ବୋଲର ମାର୍କ ଉଡ । ନିଜ ବ୍ୟକ୍ତିଗତ କାରଣ ଦର୍ଶାଇ ଏହି ନିଲାମୀରୁ ସେ ଓହରି ଯାଇଥିବା ଦର୍ଶାଇଛନ୍ତି । ଆଜି ଚେନ୍ନାଇରେ ଆଇପିଏଲ ପାଇଁ ୨୯୨ ଖେଳାଳିଙ୍କୁ ନିଲାମୀ ପାଇଁ ସର୍ଟ ଲିଷ୍ଟ କରାଯାଇଛି ।

 
 

AD