Home ଦେଶ ଋଣବୋଝ ୧.୦୬ଲକ୍ଷ କୋଟି ଟପିବ, ଯାହାକି ରାଜ୍ୟ ଜିଡିପିର ୨୦.୯ ପ୍ରତିଶତ

ଋଣବୋଝ ୧.୦୬ଲକ୍ଷ କୋଟି ଟପିବ, ଯାହାକି ରାଜ୍ୟ ଜିଡିପିର ୨୦.୯ ପ୍ରତିଶତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ମହାମାରୀରେ ରାଜ୍ୟର ଗୋଲାପି ଅର୍ଥନୀତିକୁ ଶକ୍ତ ଧକ୍କା ଲାଗିଛି। ଯାହାକି ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ ଉପରେ ପ୍ରତିଫଳିତ ହୋଇଛି। ରାଜ୍ୟ ସରକାର ୪୪ ହଜାର ୪୦୦ କୋଟି ଟଙ୍କାର ଋଣ ଆଣି ନିଜର ବଜେଟ ଖର୍ଚ୍ଚ ତୁଲାଇବାକୁ ଯୋଜନା କରିଥିବାବେଳେ ୨୦୨୧ ମାର୍ଚ୍ଚ ଶେଷ ସୁଦ୍ଧା ରାଜ୍ୟର ଋଣବୋଝ ୧ଲକ୍ଷ ୬ହଜାର ୫୪୦ କୋଟି ହେବ ବୋଲି ଜଣାପଡ଼ିଛି।

ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାରେ ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ ଆଗତ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, କରୋନା ମହାମାରୀ ସତ୍ତ୍ୱେ ଚଳିତ ଆର୍ଥିକ ବର୍ଷରେ ପ୍ରାୟ ୧୦ % ହାରରେ ଭଲ ଅଭିବୃଦ୍ଧି ରହିଛି। ୨୦୨୧-୨୨ ଆର୍ଥିକ ବର୍ଷରେ ଅନୁରୂପ ଅଭିବୃଦ୍ଧି ହାର ରହିବ ବୋଲି ଆଶା କରାଯାଉଛି। ୨୦୨୦ ଡିସେମ୍ବର ମାସ ସୁଦ୍ଧା ରାଜ୍ୟର ଋଣବୋଝ ୧ଲକ୍ଷ ୨ହଜାର ୫୯୩କୋଟି ଟଙ୍କା ହୋଇଥିବାବେଳେ ଏହା ରାଜ୍ୟ ଜିଡିପିର ୨୦.୧ ପ୍ରତିଶତ।

ତେବେ ୨୦୨୧ ମସିହା ମାର୍ଚ୍ଚ ଶେଷ ସୁଦ୍ଧା ଏହି ଋଣବୋଝ ୧ଲକ୍ଷ ୬ହଜାର ୫୪୦କୋଟି ଟଙ୍କା ହେବ, ଯାହାକି ରାଜ୍ୟ ଜିଡିପିର ୨୦.୯ ପ୍ରତିଶତ। ସେହିପରି ୨୦୨୧-୨୨ ଆର୍ଥିକ ବର୍ଷର ଶେଷ ସୁଦ୍ଧା ରାଜ୍ୟର ଋଣବୋଝ ୧ଲକ୍ଷ ୨୫ହଜାର ୫ କୋଟି ଟଙ୍କା ରହିବ ବୋଲି ଆକଳନ କରାଯାଇଛି। ୨୦୨୦ ମାର୍ଚ୍ଚ ମାସ ଶେଷ ସୁଦ୍ଧା ରାଜ୍ୟର ଋଣବୋଝ ୯୨,୭୭୫ କୋଟି ଟଙ୍କା ରହିଥିଲା। ଯାହାକି ରାଜ୍ୟ ଜିଡିପିର ୧୭.୮% ଥିଲା।

୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୭% ସୁଧ ହାରରେ ୧୮ହଜାର କୋଟି ଟଙ୍କାର ଋଣ ଖୋଲା ବଜାରରୁ ଆଣିବାକୁ ଯୋଜନା ରଖିଥିବାବେଳେ ଓମବିଡିସି ଓ କାମ୍ପା ପାଣ୍ଠିରୁ ୧୬୧୮୬ କୋଟି ଟଙ୍କା ସମେତ ମୋଟ ୪୪ହଜାର ୪୦୦କୋଟି ଟଙ୍କା ଋଣ ଆଣିବେ। ଅବଶ୍ୟ ଏଥିରେ ନେଟ୍ ଋଣ ୧୮୪୬୫ କୋଟି ଟଙ୍କା ରହିଛି ଓ ବାକି ଟଙ୍କା ଋଣ ପରିଶୋଧ କରିବେ।

AD